ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆ ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା) କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ଵାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା ।

କଳାହାଣ୍ଡି ନାମର ଉତ୍ପତ୍ତି :-

ଓଡିଆରେ “କଳାହାଣ୍ଡି” ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାର ମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।

 

କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬) ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । ସେହିପରି କୋଟପାଡ ପାଖର ଗ୍ରାମ ଶସାହାଣ୍ଡି ଓ ପାପଡାହାଣ୍ଡିକୁ ବସ୍ତର ଅଞ୍ଚଳ ଲୋକମାନେ ଶାସଊଣ୍ଡ ଓ ପାପଡାଊଣ୍ଡ କହିଥାନ୍ତି । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପର ଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର କ୍ଷେତ୍ରଫଳ ହେଲା ପ୍ରାୟ ୭,୯୨୦ ବର୍ଗ କିଲୋମିଟର । ଏହି କ୍ଷେତ୍ରଫଳ ଉତ୍ତର ଅକ୍ଷାଂଶ ୧୯.୧୭୫୪୮୯ଂ ରୁ ୨୦.୪୫୪୫୧୭ଂ ଏବଂ ପୂର୍ବ ଦ୍ରାଘିମା ୮୨.୬୧୭୭୬୭ଂ ରୁ ୮୩.୭୯୪୮୭୪ଂ ମଧ୍ୟ ରେ ଅବସ୍ଥିତ । ଏହି ଜିଲ୍ଲା ଦକ୍ଷିଣ-ପଶ୍ଚିମ ଓଡିଶାରେ ଅବସ୍ଥିତ ଅଟେ । ଏହାର ଉତ୍ତର-ପଶ୍ଚିମ ଦିଗରେ ବଲାଙ୍ଗିର ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ତଥା ଦକ୍ଷିଣ ଦିଗରେ ନବରଙ୍ଗପୁର ଜିଲ୍ଲା , କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲା ଅବସ୍ଥିତ । ପଶ୍ଚିମରେ ଛତିଶଗଡ ରାଜ୍ୟ, ଉତ୍ତରରେ ବୌଦ୍ଧ ଏବଂ ଉତ୍ତର-ପୂର୍ବରେ କନ୍ଧମାଳ ଜିଲ୍ଲା ଅଛି ।

କଳାହାଣ୍ଡି ଜିଲ୍ଲା ର ଜଳବାୟୁ ଉଷ୍ମ ଓ ଶୁଷ୍କ ଅଟେ । କେବଳ ବର୍ଷା ଦୁଇ ମାସ ଛାଡିଦେଲେ ଏହାର ପାଣିପାଗ ଶୁଷ୍କ ଅଟେ । ଏଠାରେ ସର୍ବାଧିକ ତାପମାତା ୪୫+ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ମପା ଯାଇଛି । ଜିଲ୍ଲାର ହାରା ହାରି ବୃଷ୍ଟିପାତ ୧୩୭୮.୨୦ ମିଲିମିଟର । ଏଠାରେ ମୌସୁମୀ ଜୁନ ମାସ ଶେଷ ଆଡକୁ ଆରମ୍ଭ ହୁଏ ଓ ସେପ୍ଟେମ୍ବର ପର୍ଯ୍ଯନ୍ତ ଦେଖାଯାଏ ।

ଉତ୍ସ: ଗେଜେଟିଆର ( ୧୫ ଅଗଷ୍ଟ ୧୯୮୦ )