ବନ୍ଦେ ଉତ୍କଳ ଜନନୀ, ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ॥
ପୂତ-ପୟୋଧି-ବିଧୌତ-ଶରୀରା, ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ର ତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥
ଘନ ଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ, ଜନନୀ, ଜନନୀ॥
ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ରା, ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା, ଯୋଗୀଋଷିଗଣ-ଊଟଜ-ପବିତ୍ରା, ଜନନୀ, ଜନନୀ, ଜନନୀ॥
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା, ଚାରୁକଳାବଳୀ-ଶୋଭିତ-ବେଶା, ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା, ଜନନୀ, ଜନନୀ, ଜନନୀ॥
ଉତ୍କଳ ଶୂରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା, ଜନନୀ, ଜନନୀ, ଜନନୀ॥
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା, ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ, ଜନନୀ, ଜନନୀ, ଜନନୀ॥